Saturday, August 25, 2018

ଫିଙ୍ଗା ଏକ ମୋଟା ଡାଏରୀ 🎂🎂🎂🎂🎂🎂🎂🎂 ଫିଙ୍ଗା ଏକ ମୋଟା ଡାଏରୀର ଫର୍ଦ୍ଦ ଫର୍ଦ୍ଦ ପଢୁ ପଢୁ ହଠାତ୍ ଦେଖିଲି ମୁଁ କେଉଁ ଏକ ପତଳା ମନର ଦର ଭିଜା କଥା ଓ କାହାଣୀ । କି ସମୟ ହୋଇଛି କେଜାଣି ସ୍ୱଳ୍ପ ପାଠ ପଢିଥିବା ସହରୀ ବରଟା ବାପାଙ୍କୁ ତା' ଲେଖିଅଛି ଦେବାପାଇଁ ମୋଟା ଅର୍ଥ ତା'ର ବରତ୍ୱର ବୀର ବେଶ ପାଇଁ । ହଠାତ୍ ଡାଏରୀର ଗତିପଥ ନେଲା ଏକ ସମ୍ଭାବନା ଅଥବା କେଉଁ ଏକ ବିକଳ୍ପର ମୋଡ଼ । ସତେ ଯେମିତି ଏମିତି କଛି ବି ଘଟନ୍ତା ଆଉ ସେ ଚାଲି ଯାଆନ୍ତା ତା' ଶାଶୂଘରକୁ ଯେଉଁଠି ନଥାନ୍ତା ଟଙ୍କା କିମ୍ବା ପଇସାର କଥା ବନ୍ଧା ପଡୁଥିବା ନାରୀର ଆତ୍ମ ମର୍ଯ୍ୟାଦାର ଆତ୍ମିକ ରଫା ଦଫା । ହଠାତ୍ ପଛରୁ କେ ଡାକିଦେଲା, " ବଉଳ ଲୋ ! ଦେଖ କିଏ ହସି ହସି ଆସିଛନ୍ତି ତୋତେ ନେବାପାଇଁ ହାତେ ଧରି ଫୁଲତୋଡା ସାଥିରେ ବି ଆଣିଛନ୍ତି ଫଗୁଣକୁ ସଶ୍ରଦ୍ଧରେ ନେଇ ।"

Odia poem

Thursday, August 23, 2018

Ratha Chalijiba

କବିତା :
        ରଥ ଚାଲିଯିବ ରଥୀର ଦେଶେ
    🎂🎂🎂🎂🎂🎂🎂🎂

   ପର ସ୍ୱାର୍ଥ ପାଇଁ     ଯିଏ ପରମାର୍ଥ
           ନିଜକଥା କେବେ ଭାବଇ ନାହିଁ
   ଖଟି ଖଟି ଯା'ର        ଜୀବନ ଯାଉଛି
           ଏପରି ମଣିଷ ଦେଖିଛ କାହିଁ  ?

   ଆପଣା ମଣିଷ             ହୋଇଯାଏ ପର
              ଛାଡି ଚାଲିଗଲେ ନିଜର ଘର
   ନିଜର ଦୁନିଆ                  ବୁଝିଥାଏ ଯିଏ
              ସିଏ କି ନିଜକୁ କରିବ  ପର !

        ଦି 'ଦିନ ଜୀବନ           ଯାଉଅଛି ସରି
             ଜୀବନ ଯମୁନା ଯାଉଛି ଶୁଖି
      ସମୟ ସ୍ରୋତର          ଉଜାଣି ଢେଉରେ
           ଦୁଃଖୀ ଜନ କ'ଣ ହେଲେଣି ସୁଖୀ !

    ଯା' ପାଇଁ ବେଦନା    ଯା' ପାଇଁ ଶୋଚନା
                 ସିଏତ ଜୀବନ ମରଣ ପ୍ରୀତି
     ଫୁଲ ଫଗୁଣର            ମଣିଷ ପାଇଁ କି
              ନାହିଁ କି ମନରେ ଟିକିଏ ଭୀତି  !

          ମଣିଷ ଖୋଜୁଛି         ଜୀବନର ରାହା
             କିଏ ସେ କିପରି ହେବାକୁ ସାହା
         ରଥେ ବସିଛନ୍ତି            ବିଶ୍ୱ ମହାରଥୀ
                ପ୍ରସାରିତ କରି ତାଙ୍କର ବାହା ।

       ହିସାବ ନିକାଶ           ସରିବ ଯେ ଦିନ
             ନେଇ ଯିବେ ପାଶେ  ନାଟକ ଶେଷେ
        ଘରକୁ ବାହୁଡା       ହେବ ସେହିଦିନ
                  ରଥ ଚାଲିଯିବ ରଥୀର ଦେଶେ ।