Saturday, August 25, 2018

ଫିଙ୍ଗା ଏକ ମୋଟା ଡାଏରୀ 🎂🎂🎂🎂🎂🎂🎂🎂 ଫିଙ୍ଗା ଏକ ମୋଟା ଡାଏରୀର ଫର୍ଦ୍ଦ ଫର୍ଦ୍ଦ ପଢୁ ପଢୁ ହଠାତ୍ ଦେଖିଲି ମୁଁ କେଉଁ ଏକ ପତଳା ମନର ଦର ଭିଜା କଥା ଓ କାହାଣୀ । କି ସମୟ ହୋଇଛି କେଜାଣି ସ୍ୱଳ୍ପ ପାଠ ପଢିଥିବା ସହରୀ ବରଟା ବାପାଙ୍କୁ ତା' ଲେଖିଅଛି ଦେବାପାଇଁ ମୋଟା ଅର୍ଥ ତା'ର ବରତ୍ୱର ବୀର ବେଶ ପାଇଁ । ହଠାତ୍ ଡାଏରୀର ଗତିପଥ ନେଲା ଏକ ସମ୍ଭାବନା ଅଥବା କେଉଁ ଏକ ବିକଳ୍ପର ମୋଡ଼ । ସତେ ଯେମିତି ଏମିତି କଛି ବି ଘଟନ୍ତା ଆଉ ସେ ଚାଲି ଯାଆନ୍ତା ତା' ଶାଶୂଘରକୁ ଯେଉଁଠି ନଥାନ୍ତା ଟଙ୍କା କିମ୍ବା ପଇସାର କଥା ବନ୍ଧା ପଡୁଥିବା ନାରୀର ଆତ୍ମ ମର୍ଯ୍ୟାଦାର ଆତ୍ମିକ ରଫା ଦଫା । ହଠାତ୍ ପଛରୁ କେ ଡାକିଦେଲା, " ବଉଳ ଲୋ ! ଦେଖ କିଏ ହସି ହସି ଆସିଛନ୍ତି ତୋତେ ନେବାପାଇଁ ହାତେ ଧରି ଫୁଲତୋଡା ସାଥିରେ ବି ଆଣିଛନ୍ତି ଫଗୁଣକୁ ସଶ୍ରଦ୍ଧରେ ନେଇ ।"

Odia poem

Thursday, August 23, 2018

Ratha Chalijiba

କବିତା :
        ରଥ ଚାଲିଯିବ ରଥୀର ଦେଶେ
    🎂🎂🎂🎂🎂🎂🎂🎂

   ପର ସ୍ୱାର୍ଥ ପାଇଁ     ଯିଏ ପରମାର୍ଥ
           ନିଜକଥା କେବେ ଭାବଇ ନାହିଁ
   ଖଟି ଖଟି ଯା'ର        ଜୀବନ ଯାଉଛି
           ଏପରି ମଣିଷ ଦେଖିଛ କାହିଁ  ?

   ଆପଣା ମଣିଷ             ହୋଇଯାଏ ପର
              ଛାଡି ଚାଲିଗଲେ ନିଜର ଘର
   ନିଜର ଦୁନିଆ                  ବୁଝିଥାଏ ଯିଏ
              ସିଏ କି ନିଜକୁ କରିବ  ପର !

        ଦି 'ଦିନ ଜୀବନ           ଯାଉଅଛି ସରି
             ଜୀବନ ଯମୁନା ଯାଉଛି ଶୁଖି
      ସମୟ ସ୍ରୋତର          ଉଜାଣି ଢେଉରେ
           ଦୁଃଖୀ ଜନ କ'ଣ ହେଲେଣି ସୁଖୀ !

    ଯା' ପାଇଁ ବେଦନା    ଯା' ପାଇଁ ଶୋଚନା
                 ସିଏତ ଜୀବନ ମରଣ ପ୍ରୀତି
     ଫୁଲ ଫଗୁଣର            ମଣିଷ ପାଇଁ କି
              ନାହିଁ କି ମନରେ ଟିକିଏ ଭୀତି  !

          ମଣିଷ ଖୋଜୁଛି         ଜୀବନର ରାହା
             କିଏ ସେ କିପରି ହେବାକୁ ସାହା
         ରଥେ ବସିଛନ୍ତି            ବିଶ୍ୱ ମହାରଥୀ
                ପ୍ରସାରିତ କରି ତାଙ୍କର ବାହା ।

       ହିସାବ ନିକାଶ           ସରିବ ଯେ ଦିନ
             ନେଇ ଯିବେ ପାଶେ  ନାଟକ ଶେଷେ
        ଘରକୁ ବାହୁଡା       ହେବ ସେହିଦିନ
                  ରଥ ଚାଲିଯିବ ରଥୀର ଦେଶେ ।

କୈବର୍ତ୍ତ

Kiese Lekhuchhi Prashanti Balaye

Odia Poem ଜୟ ପରଂବ୍ରହ୍ମ ଜୟ
🎂🎂🎂🎂🎂🎂🎂🎂🎂🎂🎂🎂🎂🎂🎂

ଶାନ୍ତ ବଳୟେ     କିଏସେ ଲେଖୁଛି
       ପ୍ରଶାନ୍ତିର ଯେତେକଥା
ମଥା ଅବନତେ     ହୋଇଥିଲେ ଠିଆ
     ତୋଳିଧରେ କିଏ ମଥା
              ସିଏ କି ଅନନ୍ତ     ବିଶ୍ୱର ଈଶ୍ୱର
                ଯା'ର ରୂପରେଖ ନାହିଁ
           କିପରି କଳିବୁ     କୁହ ତୁମେ ପ୍ରଭୁ
             ଦିବ୍ୟ ଦୃଷ୍ଟି ଅଛି କାହିଁ  !

ଗଗନେ ଗଗନେ ପବନେ ପବନେ
   ଶୁଭେ ତୁମ ବଂଶୀ ସ୍ଵନ
ଯେତେ ନିରିମାଖୀ  ନିର୍ବାକ ନିଃସ୍ପନ୍ଦ
     ହେଲେ ହେଉ ତନୁ ମନ
                 ଜାଗୃତ ହୁଏ   ଝଙ୍କୃତ ହୁଏ
                     ପାରୁନା ଆମେ ତ ଜାଣି
             ତୁମେ କି ଅସୀମ  ଶୂନ୍ୟ ପରଂବ୍ରହ୍ମ
                      ଯୁଗ ଜିଣା ତୁମ ବାଣୀ !

ହେ ଯୁଗ ପୁରୁଷ !    ଯୁଗ ଅବତାର
         ବଜାଅ ତୁମର ବଂଶୀ
ପ୍ରତିଟି ମଣିଷ     ହୃଦୟ  ମନ୍ଦିରେ
          ନାଚି ଉଠୁ ମନହଂସୀ
               ଭୂମିରୁ ଭୂମାକୁ  ପରିବ୍ୟାପ୍ତ ହେଉ
                       ତବ ସୃଷ୍ଟି ସ୍ଥିତି ଲୟ
                 ସର୍ବ ମନ ପ୍ରାଣ  ଗାଇ ଉଠୁ ଆଜି
                        ଜୟ ପରଂବ୍ରହ୍ମ ଜୟ ।

         

ଅନେକ ଦିନପରେଅନେକ ଦିନପରେ 🎂🎂🎂🎂🎂 ଅନେକ ଦିନପରେ ଇଚ୍ଛାମାନେ ଫଳବତୀ ହେଲେ ନିଜ ନିଜ ବାଟ ଦେଖି ଓଗାଳି ଚାଲିଲେ । ସେଠି ଦୁଃଖ ଥାଉ ଯନ୍ତ୍ରଣା ବି ଥାଉ ସ୍ୱର୍ଗ ଥାଉ ,ନର୍କ ଅବା ଥାଉ ସେଥିପାଇଁ ଟିକେହେଲେ ନିଘା ଦେଲେ ନାହିଁ ବରଂ ନିଜର ନିଜତ୍ୱ ହରାଇ କାମନାର ସର୍ବସ୍ୱ ମଧ୍ୟରେ ସେମାନେ ବି ବିଲୀନ ହୋଇଲେ । ସତେ ଅବା ଅବୁଝା ମଣିଷ ସେମାନେ କେମିତି ବୁଝିବେ ଟିକିଏ କାମନାର ବିନାଶରେ ସବୁ ଦୁଃଖ ମରି ହଜି ଯିବ ଅଣ ଲେଉଟା ବି ହେବ । ଅନେକ ଦିନପରେ ଇଚ୍ଛାମାନେ ଆପେ ଆପେ ମରିଗଲେ ସତେଯେମିତି ସବୁଦିନ ପାଇଁ ସମର୍ପଣ ଭାବନେଇ ନିର୍ବାଣ ପାଇଲେ ।

Odia Poem

ଯୁଗ ଯୁଗପାଇଁ ତୁମ ଜଗତିରେ

ଯୁଗ ଯୁଗ ପାଇଁ ତୁମ ଜଗତିରେ
🎂🎂🎂🎂🎂🎂🎂🎂🎂

ଜୀବନ ଦେଇଛି       ଯେତେ ରଙ୍ଗ ଆଣି
          ସବୁଯାଏ ଫିକା ହୋଇ
ସତେକି ରଙ୍ଗର       ଅସୀମ ବିଭବ
          ରହିଅଛି ଦୂରୁ ଚାହିଁ  !
               ଆସେକି  ଶୂନ୍ୟରୁ ଡାକ
        ଶୁନ୍ୟବାସୀ କିଏ     ଉଭା ହୋଇଛନ୍ତି
             ଶୂନ୍ୟ ଖାଲି  ଶୂନ୍ୟାଲୋକ ।

  ଆକାଶେ କି ସତେ       ଅଲେଖ ଅଦେହୀ
             ଶୂନ୍ୟ ଦେହେଛନ୍ତି ରହି
    ରୋମାଂଚିତ ହୁଏ  ସର୍ବ ତନୁ ମନ
            ଅନ୍ତରୁ କେ ଦେହେ କହି ;
           ଆତ୍ମାରେ ଆତ୍ମାରେ     ରହିଅଛି ମୁହିଁ
                       ସର୍ବ ଘଟେ ମୋର ସତ୍ତା
            ସେଥିପାଇଁ  ମୋତେ    ଜଗତ କହୁଛି
                       ପରଂବ୍ରହ୍ମ  ପରମାତ୍ମା ।

  ନୟନ ପଲକେ  ଦେଖଇ ଜଗତେ
            ଉଭା ହୋଇଛନ୍ତି ଜଣେ
  ସେତ ଶୂନ୍ୟଦେହୀ  ଅଲେଖ ପୁରୁଷ
            ନିର୍ବାକ ଜଗତ କ୍ଷଣେ  ;
                 ସିଏତ ଅରୂପ   ଅନାଦି ଅନନ୍ତ
                       ପରଂବ୍ରହ୍ମ  ସନାତନ
          ଯେଉଁଠାରେ ଦିନେ ଦେହ ମୋହ ଛାଡି
                ଆତ୍ମା ହୋଇଯାଏ ଲୀନ  ।

ହେ ଆତ୍ମା ପୁରୁଷ !    ହେ ପରମାତ୍ମା  !!
              ଦେବ ଯଦି ତୁମେ ଦିଅ
   ତୁମରି ରଙ୍ଗର       ଅସୀମ ବିଭବ
            ସବୁ ଦୁଃଖ ଦୈନ୍ୟ ନିଅ ;
             ଏ ଧରା ଧାମରେ    ସବୁଦିନପାଇଁ
                ପାପ ପୁଣ୍ୟ ଏକ ହେଉ
              ଯୁଗ ଯୁଗ ପାଇଁ   ତୁମ ଜଗତିରେ
                    ମହିମା ମହତ୍ତ୍ଵ ଥାଉ ।

Acharya Upadhi Emitibi Mile

ଅତୀତ ଇତିହାସ ପୃଷ୍ଠାରୁ ଖିଏ  :

    'ଆଚାର୍ଯ୍ୟ'  ଉପାଧି ବି ଏମିତି ମିଳେ
🎂🎂🎂🎂🎂🎂🎂🎂🎂🎂🎂🎂🎂🎂

       ଦିନକର କଥା । ହଠାତ୍ ବିଦ୍ୟାଳୟର ପ୍ରତିଷ୍ଠାତା ଆସି ବିଦ୍ୟାଳୟରେ ପହଂଚି ଗଲେ । ଦେଖିଲେ ସବୁ ଶ୍ରେଣୀ ଖାଲି ପଡ଼ିଛି । କେବଳ ଦୁଇଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ସେଥି ମଧ୍ୟରୁ ଜଣେ ଶିକ୍ଷକ ଜରରେ ଥାଇ ମଧ୍ୟ ଶିକ୍ଷା ଦାନ କରୁଛନ୍ତି। ଆଉ କିଏ କିଏ ପାଠପଢା ଛାଡି ଷ୍ଟାଫ କମନ ରୁମରେ ବସି ଗୀତ, ଗପ ନାଟକ ଆଦି ଲେଖୁଛନ୍ତି । ଆଉ କେତେଜଣ ବିଦ୍ୟାଳୟର ହତା ଛାଡି ନିଜ ନିଜ କାମରେ ବାହାରକୁ ଚାଲି ଯାଇଛନ୍ତି ।

      ନିଜ  ହାତଗଢା ମଣିଷ ଗଢ଼ା କାରଖାନାର ଏପରି ସ୍ଥିତି ଦେଖି ସେ ବ୍ୟସ୍ତ ଓ ବିବ୍ରତ ହୋଇ ପଡିଲେ । ସଙ୍ଗେ ସଙ୍ଗେ ତାଙ୍କ ଆଦେଶରେ ବିଦ୍ୟାଳୟର ଛୁଟି ଘଣ୍ଟା ବଜାଇ ଦିଆଗଲା ।
        ଛୁଟି ପରେପରେ ସେ ବିଦ୍ୟାଳୟର ଶାନ୍ତି ଓ ଶୃଙ୍ଖଳା ସମ୍ପର୍କରେ ଉପସ୍ଥିତ ଛାତ୍ର ଓ ଶିକ୍ଷକମାନଙ୍କ ସହିତ ଆଲୋଚନା କଲେ । ଖୁଣ୍ଟ ଗୁଣେ ଘୋଡ଼ା ନାଚେ ବୋଲି ତାଙ୍କର ଧାରଣା ହେଲା । ସଙ୍ଗେ ସଙ୍ଗେ ସେ  ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀ ଉଠାଇ ଦେଲେ । ଆଉ ସେହି ପଦବୀର ନୂତନ ନାମକରଣ ହେଲା "ଆଚାର୍ଯ୍ୟ" । ଅନୁଷ୍ଠାନର ସେହି ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେଲେ ଶିକ୍ଷକ  ହରିହର ଦାସ । 
          ସେହି ସମୟରେ ଆମ ରାଜ୍ୟରେ ଅନେକ ନାମଜାଦା ଆଚାର୍ଯ୍ୟ ଥିଲେ । ସେମାନେ ଥିଲେ ଅଟଳ ବିହାରୀ ଆଚାର୍ଯ୍ୟ,ପରମାନନ୍ଦ ଆଚାର୍ଯ୍ୟ, ସୁରେନ୍ଦ୍ରନାଥ ଆଚାର୍ଯ୍ୟ ପ୍ରମୁଖ ବ୍ୟକ୍ତି ବିଶେଷ । ସେମାନଙ୍କ ନାମ ପଛରେ ଥିବା ଆଚାର୍ଯ୍ୟ ଶବ୍ଦ କେବଳ ବଂଶ ପରମ୍ପରା ଅନୁଯାୟୀ ସଂଯୋଜିତ । କେବଳ ନାମ ବାଦଦେଇ ଆଚାର୍ଯ୍ୟ କହିଲେ  ସତ୍ୟବାଦୀ ବିଦ୍ୟାଳୟର ଶିକ୍ଷକ ହରିହରଙ୍କୁ ବୁଝାଏ ।
      ସେ ଦିନ ରାଜ୍ୟର ସେହି ଅପ୍ରତିଦ୍ବନ୍ଦୀ ଶିକ୍ଷକଙ୍କୁ ଯିଏ ଏହି ଦୁର୍ଲ୍ଲଭ 'ଆଚାର୍ଯ୍ୟ ' ଉପାଧିରେ ଭୂଷିତ କରିଥିଲେ, ସେ ହେଉଛନ୍ତି ଆମ ରାଜ୍ୟର ବିଂଶ ଶତାବ୍ଦୀର କଳା, ସାହିତ୍ୟ, ସଂସ୍କୃତିର ଅନନ୍ୟ ବିନ୍ଧାଣି ପଣ୍ଡିତ ଗୋପବନ୍ଧୁ ଦାସ । ତାଙ୍କ ପ୍ରଦତ୍ତ ଆଚାର୍ଯ୍ୟ ଉପାଧି  ଏତେ ଶକ୍ତିଶାଳୀ ଓ ମହନୀୟ ଥିଲାଯେ ସମ୍ପ୍ରତି ରାଜ୍ୟର ଆଚାର୍ଯ୍ୟ କହିଲେ କେବଳ ଜଣଙ୍କୁ ବୁଝାଯାଏ ।
         ସେ ହେଉଛନ୍ତି ଆମ ରାଜ୍ୟର ଏକ ମାତ୍ର ଆଚାର୍ଯ୍ୟ । 'ଆଚାର୍ଯ୍ୟ ମହାଶୟ'  : ଆଚାର୍ଯ୍ୟ ହରିହର । ଯିଏ ନିଜର କାର୍ଯ୍ୟ ଓ ଆଚରଣ ମଧ୍ୟରେ ଅନନ୍ୟ ସମନ୍ୱୟ ପ୍ରତିଷ୍ଠା କରି କାଳବକ୍ଷର ଅନନ୍ତ ସ୍ରୋତରେ ନିଜର ପଦଚିହ୍ନ ଛାଡି ଯାଇଛନ୍ତି ।
           
   ଆଉ ସେ ଦିନ ତାଙ୍କ ସହିତ ଜରସତ୍ତ୍ୱେ ପାଠ ପଢ଼ାଉଥିବା ଶିକ୍ଷକ ଜଣକ ହେଉଛନ୍ତି  ପଣ୍ଡିତ ଗୋଦାବରୀଶ ମିଶ୍ର ।