ଅତୀତ ଇତିହାସ ପୃଷ୍ଠାରୁ ଖିଏ :
'ଆଚାର୍ଯ୍ୟ' ଉପାଧି ବି ଏମିତି ମିଳେ
🎂🎂🎂🎂🎂🎂🎂🎂🎂🎂🎂🎂🎂🎂
ଦିନକର କଥା । ହଠାତ୍ ବିଦ୍ୟାଳୟର ପ୍ରତିଷ୍ଠାତା ଆସି ବିଦ୍ୟାଳୟରେ ପହଂଚି ଗଲେ । ଦେଖିଲେ ସବୁ ଶ୍ରେଣୀ ଖାଲି ପଡ଼ିଛି । କେବଳ ଦୁଇଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ସେଥି ମଧ୍ୟରୁ ଜଣେ ଶିକ୍ଷକ ଜରରେ ଥାଇ ମଧ୍ୟ ଶିକ୍ଷା ଦାନ କରୁଛନ୍ତି। ଆଉ କିଏ କିଏ ପାଠପଢା ଛାଡି ଷ୍ଟାଫ କମନ ରୁମରେ ବସି ଗୀତ, ଗପ ନାଟକ ଆଦି ଲେଖୁଛନ୍ତି । ଆଉ କେତେଜଣ ବିଦ୍ୟାଳୟର ହତା ଛାଡି ନିଜ ନିଜ କାମରେ ବାହାରକୁ ଚାଲି ଯାଇଛନ୍ତି ।
ନିଜ ହାତଗଢା ମଣିଷ ଗଢ଼ା କାରଖାନାର ଏପରି ସ୍ଥିତି ଦେଖି ସେ ବ୍ୟସ୍ତ ଓ ବିବ୍ରତ ହୋଇ ପଡିଲେ । ସଙ୍ଗେ ସଙ୍ଗେ ତାଙ୍କ ଆଦେଶରେ ବିଦ୍ୟାଳୟର ଛୁଟି ଘଣ୍ଟା ବଜାଇ ଦିଆଗଲା ।
ଛୁଟି ପରେପରେ ସେ ବିଦ୍ୟାଳୟର ଶାନ୍ତି ଓ ଶୃଙ୍ଖଳା ସମ୍ପର୍କରେ ଉପସ୍ଥିତ ଛାତ୍ର ଓ ଶିକ୍ଷକମାନଙ୍କ ସହିତ ଆଲୋଚନା କଲେ । ଖୁଣ୍ଟ ଗୁଣେ ଘୋଡ଼ା ନାଚେ ବୋଲି ତାଙ୍କର ଧାରଣା ହେଲା । ସଙ୍ଗେ ସଙ୍ଗେ ସେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀ ଉଠାଇ ଦେଲେ । ଆଉ ସେହି ପଦବୀର ନୂତନ ନାମକରଣ ହେଲା "ଆଚାର୍ଯ୍ୟ" । ଅନୁଷ୍ଠାନର ସେହି ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେଲେ ଶିକ୍ଷକ ହରିହର ଦାସ ।
ସେହି ସମୟରେ ଆମ ରାଜ୍ୟରେ ଅନେକ ନାମଜାଦା ଆଚାର୍ଯ୍ୟ ଥିଲେ । ସେମାନେ ଥିଲେ ଅଟଳ ବିହାରୀ ଆଚାର୍ଯ୍ୟ,ପରମାନନ୍ଦ ଆଚାର୍ଯ୍ୟ, ସୁରେନ୍ଦ୍ରନାଥ ଆଚାର୍ଯ୍ୟ ପ୍ରମୁଖ ବ୍ୟକ୍ତି ବିଶେଷ । ସେମାନଙ୍କ ନାମ ପଛରେ ଥିବା ଆଚାର୍ଯ୍ୟ ଶବ୍ଦ କେବଳ ବଂଶ ପରମ୍ପରା ଅନୁଯାୟୀ ସଂଯୋଜିତ । କେବଳ ନାମ ବାଦଦେଇ ଆଚାର୍ଯ୍ୟ କହିଲେ ସତ୍ୟବାଦୀ ବିଦ୍ୟାଳୟର ଶିକ୍ଷକ ହରିହରଙ୍କୁ ବୁଝାଏ ।
ସେ ଦିନ ରାଜ୍ୟର ସେହି ଅପ୍ରତିଦ୍ବନ୍ଦୀ ଶିକ୍ଷକଙ୍କୁ ଯିଏ ଏହି ଦୁର୍ଲ୍ଲଭ 'ଆଚାର୍ଯ୍ୟ ' ଉପାଧିରେ ଭୂଷିତ କରିଥିଲେ, ସେ ହେଉଛନ୍ତି ଆମ ରାଜ୍ୟର ବିଂଶ ଶତାବ୍ଦୀର କଳା, ସାହିତ୍ୟ, ସଂସ୍କୃତିର ଅନନ୍ୟ ବିନ୍ଧାଣି ପଣ୍ଡିତ ଗୋପବନ୍ଧୁ ଦାସ । ତାଙ୍କ ପ୍ରଦତ୍ତ ଆଚାର୍ଯ୍ୟ ଉପାଧି ଏତେ ଶକ୍ତିଶାଳୀ ଓ ମହନୀୟ ଥିଲାଯେ ସମ୍ପ୍ରତି ରାଜ୍ୟର ଆଚାର୍ଯ୍ୟ କହିଲେ କେବଳ ଜଣଙ୍କୁ ବୁଝାଯାଏ ।
ସେ ହେଉଛନ୍ତି ଆମ ରାଜ୍ୟର ଏକ ମାତ୍ର ଆଚାର୍ଯ୍ୟ । 'ଆଚାର୍ଯ୍ୟ ମହାଶୟ' : ଆଚାର୍ଯ୍ୟ ହରିହର । ଯିଏ ନିଜର କାର୍ଯ୍ୟ ଓ ଆଚରଣ ମଧ୍ୟରେ ଅନନ୍ୟ ସମନ୍ୱୟ ପ୍ରତିଷ୍ଠା କରି କାଳବକ୍ଷର ଅନନ୍ତ ସ୍ରୋତରେ ନିଜର ପଦଚିହ୍ନ ଛାଡି ଯାଇଛନ୍ତି ।
ଆଉ ସେ ଦିନ ତାଙ୍କ ସହିତ ଜରସତ୍ତ୍ୱେ ପାଠ ପଢ଼ାଉଥିବା ଶିକ୍ଷକ ଜଣକ ହେଉଛନ୍ତି ପଣ୍ଡିତ ଗୋଦାବରୀଶ ମିଶ୍ର ।
No comments:
Post a Comment