Thursday, August 23, 2018

ଯୁଗ ଯୁଗପାଇଁ ତୁମ ଜଗତିରେ

ଯୁଗ ଯୁଗ ପାଇଁ ତୁମ ଜଗତିରେ
🎂🎂🎂🎂🎂🎂🎂🎂🎂

ଜୀବନ ଦେଇଛି       ଯେତେ ରଙ୍ଗ ଆଣି
          ସବୁଯାଏ ଫିକା ହୋଇ
ସତେକି ରଙ୍ଗର       ଅସୀମ ବିଭବ
          ରହିଅଛି ଦୂରୁ ଚାହିଁ  !
               ଆସେକି  ଶୂନ୍ୟରୁ ଡାକ
        ଶୁନ୍ୟବାସୀ କିଏ     ଉଭା ହୋଇଛନ୍ତି
             ଶୂନ୍ୟ ଖାଲି  ଶୂନ୍ୟାଲୋକ ।

  ଆକାଶେ କି ସତେ       ଅଲେଖ ଅଦେହୀ
             ଶୂନ୍ୟ ଦେହେଛନ୍ତି ରହି
    ରୋମାଂଚିତ ହୁଏ  ସର୍ବ ତନୁ ମନ
            ଅନ୍ତରୁ କେ ଦେହେ କହି ;
           ଆତ୍ମାରେ ଆତ୍ମାରେ     ରହିଅଛି ମୁହିଁ
                       ସର୍ବ ଘଟେ ମୋର ସତ୍ତା
            ସେଥିପାଇଁ  ମୋତେ    ଜଗତ କହୁଛି
                       ପରଂବ୍ରହ୍ମ  ପରମାତ୍ମା ।

  ନୟନ ପଲକେ  ଦେଖଇ ଜଗତେ
            ଉଭା ହୋଇଛନ୍ତି ଜଣେ
  ସେତ ଶୂନ୍ୟଦେହୀ  ଅଲେଖ ପୁରୁଷ
            ନିର୍ବାକ ଜଗତ କ୍ଷଣେ  ;
                 ସିଏତ ଅରୂପ   ଅନାଦି ଅନନ୍ତ
                       ପରଂବ୍ରହ୍ମ  ସନାତନ
          ଯେଉଁଠାରେ ଦିନେ ଦେହ ମୋହ ଛାଡି
                ଆତ୍ମା ହୋଇଯାଏ ଲୀନ  ।

ହେ ଆତ୍ମା ପୁରୁଷ !    ହେ ପରମାତ୍ମା  !!
              ଦେବ ଯଦି ତୁମେ ଦିଅ
   ତୁମରି ରଙ୍ଗର       ଅସୀମ ବିଭବ
            ସବୁ ଦୁଃଖ ଦୈନ୍ୟ ନିଅ ;
             ଏ ଧରା ଧାମରେ    ସବୁଦିନପାଇଁ
                ପାପ ପୁଣ୍ୟ ଏକ ହେଉ
              ଯୁଗ ଯୁଗ ପାଇଁ   ତୁମ ଜଗତିରେ
                    ମହିମା ମହତ୍ତ୍ଵ ଥାଉ ।

No comments:

Post a Comment