Monday, August 13, 2018

Odia Poem: ରଥ ଚାଲିଯିବ ରଥୀର ଦେଶେ

ପର ସ୍ୱାର୍ଥ ପାଇଁ ଯିଏ ପରମାର୍ଥ
ନିଜକଥା କେବେ ଭାବଇ ନାହିଁ
ଖଟି ଖଟି ଯା'ର ଜୀବନ ଯାଉଛି
ଏପରି ମଣିଷ ଦେଖିଛ କାହିଁ ?

ଆପଣା ମଣିଷ ହୋଇଯାଏ ପର
ଛାଡି ଚାଲିଗଲେ ନିଜର ଘର
ନିଜର ଦୁନିଆ ବୁଝିଥାଏ ଯିଏ
ସିଏ କି ନିଜକୁ କରିବ ପର !

ଦି 'ଦିନ ଜୀବନ ଯାଉଅଛି ସରି
ଜୀବନ ଯମୁନା ଯାଉଛି ଶୁଖି
ସମୟ ସ୍ରୋତର ଉଜାଣି ଢେଉରେ
ଦୁଃଖୀ ଜନ କ'ଣ ହେଲେଣି ସୁଖୀ !

ଯା' ପାଇଁ ବେଦନା ଯା' ପାଇଁ ଶୋଚନା
ସିଏତ ଜୀବନ ମରଣ ପ୍ରୀତି
ଫୁଲ ଫଗୁଣର ମଣିଷ ପାଇଁ କି
ନାହିଁ କି ମନରେ ଟିକିଏ ଭୀତି !

ମଣିଷ ଖୋଜୁଛି ଜୀବନର ରାହା
କିଏ ସେ କିପରି ହେବାକୁ ସାହା
ରଥେ ବସିଛନ୍ତି ବିଶ୍ୱ ମହାରଥୀ
ପ୍ରସାରିତ କରି ତାଙ୍କର ବାହା ।

ହିସାବ ନିକାଶ ସରିବ ଯେ ଦିନ
ନେଇ ଯିବେ ପାଶେ ନାଟକ ଶେଷେ
ଘରକୁ ବାହୁଡା ହେବ ସେହିଦିନ
ରଥ ଚାଲିଯିବ ରଥୀର ଦେଶେ ।

No comments:

Post a Comment