Thursday, August 23, 2018

Book Review :ପ୍ରଜ୍ଞା ପୁରୁଷ ପ୍ରଫେସର ଶରତ ଚନ୍ଦ୍ର ଦାଶ୍

ପୁସ୍ତକ ସମୀକ୍ଷା:ପ୍ରଜ୍ଞାପୁରୁଷ ପ୍ରଫେସର ଶରତ ଚନ୍ଦ୍ର ଦାଶ

ଭାସ୍କର ପରିଛା

ଓଡ଼ିଶାର ଯେଉଁ କେତେଜଣ  ଶିକ୍ଷାବିତ ବିସ୍ମୃତ ଅଥଚ ଆଜି ବି  ଲୋକପ୍ରିୟ ସେମାନଙ୍କ ମଧ୍ୟରେ ଅଛନ୍ତି  ପ୍ରାଣକୃଷ୍ଣ ପରିଜା,ବିଦ୍ୟାଧର ମିଶ୍ର,ଶ୍ରୀରାମଚନ୍ଦ୍ର ଦାଶ,ଶତ୍ରୁଘ୍ନ ନାଥ,ମହେନ୍ଦ୍ର ରାଉତ ଏବଂ ଆହୁରି ଅନେକ।ଓଡ଼ିଶାର ଶିକ୍ଷାକୁ  ଗଠନମୂଳକ ଭାବରେ ଓ  ଭବିଷ୍ୟତ ପିଢୀକୁ ଦୃଷ୍ଟିରେ ରଖି ଦିଗଦର୍ଶନ ଦେବା ଏବଂ ନିଜେ  ଉଚ୍ଚ ମୁଲ୍ୟବୋଧର ଅଧିକାରୀ ହେବା ଖୁବ୍ କମ ଶିକ୍ଷାବିତଙ୍କ କ୍ଷେତ୍ରରେ ସମ୍ଭବ ହୋଇପାରିଛି। ବିଦେଶରେ ଉଚ୍ଚ ଶିକ୍ଷା ଲାଭକରି ସେହି ଶିକ୍ଷାଲବ୍ଧ ଜ୍ଞାନକୁ କାର୍ଯ୍ୟରେ ଲଗାଇବା ଓ ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନର ସୂତ୍ରପାତ କରାଇପାରିଥିବା ଶିକ୍ଷାନୁରାଗୀ ଓ ଦୂରଦ୍ରଷ୍ଟା ମାନଙ୍କ ମଧ୍ୟରେ ପ୍ରଫେସର ଶରତ ଚନ୍ଦ୍ର ଦାଶ (21 ଅଗଷ୍ଟ  1930 - 7 ଅଗଷ୍ଟ 2013) ଅନ୍ୟତମ।

ତାଙ୍କର ଘଟଣାବହୁଳ ଶିକ୍ଷା ଜୀବନକୁ ଲିପିବଦ୍ଧ କଲେ ଗୋଟିଏ ପୁସ୍ତକ ଯଥେଷ୍ଟ ହେବ ନାହିଁ।କିନ୍ତୁ ଡ଼ଃ ଦିଗରାଜ ବ୍ରହ୍ମା ଶରତ ଚନ୍ଦ୍ରଙ୍କ ସୁଦୀର୍ଘ ଶିକ୍ଷା ଜୀବନର ଶତାଧିକ ଘଟଣାକୁ ଏକତ୍ର କରି ଖଣ୍ଡିଏ  ପୁସ୍ତକରେ  ପରିବେଷଣ କରିପାରିଛନ୍ତି - ଯାହାକୁ କୁହାଯାଏ ବିନ୍ଦୁରେ ସିନ୍ଧୁ ଦର୍ଶନ।

ଲେଖକୀୟ ଅଭିବ୍ୟକ୍ତିରେ ଡ଼ଃ ବ୍ରହ୍ମା ଲେଖିଛନ୍ତି,"ପ୍ରାୟ ଅର୍ଦ୍ଧଶତାବ୍ଦୀରୁ  ଉର୍ଦ୍ଧ୍ଵ କାଳ ତାଙ୍କର ଶୈକ୍ଷିକ କାର୍ଯ୍ୟଧାରା ଓଡ଼ିଶାର ଶରତ ପ୍ରେମୀ ବନ୍ଧୁ ମାନଙ୍କୁ ଅନୁପ୍ରାଣିତ କରିବା ସହିତ ତାଙ୍କର ଅଗଣିତ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ପ୍ରଭାବିତ କରିଥିଲା।ଏତଦବ୍ୟତୀତ ତାଙ୍କର ଚିନ୍ତାଧାରା ଆମ୍ଭମାନଙ୍କ ପାଇଁ ଆଦର୍ଶ ଓ ପରମ୍ପରା ହୋଇ ରହିଛି।ଏହି ପରମ୍ପରା ମଧ୍ୟରେ ତାଙ୍କ ରଚିତ ସଂସ୍କୃତି ସମ୍ପନ୍ନ ରଚନାତ୍ମକ କାର୍ଯ୍ୟ ଓ ସମାଜସେବା ଓଡ଼ିଶାର ଜନଜୀବନ ଓ ଭବିଷ୍ୟତ ବଂଶଧର ମାନଙ୍କ ପାଇଁ ବାର୍ତ୍ତା ବହନ କରେ।"

ଢେଙ୍କାନାଳ ଜିଲ୍ଲା କେନ୍ଦୁଢିପରେ ଜନ୍ମ ଓ ଭୁବନେଶ୍ବର ଭିଏସଏସ ନଗରରେ ମୃତ୍ୟୁ,ଶରତ ଚନ୍ଦ୍ର ଦାଶ ଥିଲେ ପ୍ରକୃତ ଅର୍ଥରେ ଜଣେ କର୍ମଯୋଗୀ।ଜଣେ ଜଣେ ବ୍ୟକ୍ତି  ଥାଆନ୍ତି ଯେଉଁମାନେ ଅନୁଷ୍ଠାନ ଗଢ଼ିବା ପାଇଁ ଖୁବ୍ ଭଲ ପାଆନ୍ତି।ଶରତ ଚନ୍ଦ୍ର ଥିଲେ ସେଥି  ଭିତରୁ ଜଣେ। ଉଚ୍ଚ ଶିକ୍ଷାର ନିୟମିତ ଓ ଘୋଷିତ  କାର୍ଯ୍ୟକ୍ରମ ବ୍ୟତୀତ ଶିକ୍ଷକ ତାଲିମ ,ଶିକ୍ଷା ଟେଲିଭିଜନ କାର୍ଯ୍ୟକ୍ରମ ବା ଏଜୁକେଶନଲ ଟିଭି,  ଶିକ୍ଷା ଓ ଗବେଷଣାର ସମୃଦ୍ଧିକରଣ ,ଓଡ଼ିଆ ବର୍ଣ୍ଣାଶୁଦ୍ଧି ପାଇଁ ସଚେତନତା,ଆଜିକାଲି ବିଭିନ୍ନ ସ୍କୁଲରେ ଅନୁଷ୍ଠିତ ହେଉଥିବା ବିଜ୍ଞାନ ପ୍ରଦର୍ଶନୀ,ପ୍ରାକ୍ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ଆଦି ଅନେକ ନୂତନ ଚିନ୍ତାଧାରାର  ପ୍ରବର୍ତ୍ତକ ଥିଲେ ଶରତ ଚନ୍ଦ୍ର।ଓଡ଼ିଶାରେ ଏଭଳି କୌଣସି ଟିଚର ଏଜୁକେଟର ନାହାନ୍ତି ଯିଏ ତାଙ୍କୁ ଜାଣିନଥିବେ ବା ତାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଶିକ୍ଷାନର ଉତ୍କର୍ଷକୁ ଅନୁଭବ  କରିନଥିବେ।

ଦେଢ଼ ଶହ ପୃଷ୍ଠାର କଳେବର ଭିତରେ ଶରତ ଚନ୍ଦ୍ର ଦାଶଙ୍କ ସୁଲମ୍ବିତ  ଶିକ୍ଷକ ଜୀବନର ସାଧନା ଓ ସାଫଲ୍ୟକୁ ଟିକିନିଖି ଭାବରେ ଓ ତାରିଖ ତଥା ବର୍ଷ ଅନୁକ୍ରମରେ ସଜାଡ଼ିବା ଏକ ଦୁରୂହ ପ୍ରଚେଷ୍ଟା। ଆଲୋଚ୍ୟ ପୁସ୍ତକ ଜରିଆରେ  ଅଧିକ ଗବେଷଣା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିବାରୁ ଡ଼ଃ ବ୍ରହ୍ମାଙ୍କ ଏହି କାର୍ଯ୍ୟଟି ଏକ ବଡ଼ ଉପଲବ୍ଧି  ଓ ଓଡ଼ିଶାର ଶିକ୍ଷା ଇତିହାସ ପାଇଁ ଏକ ବଡ଼ ଅବଦାନ ।

ପୁସ୍ତକଟିର ଏକ ବଡ଼ ସଫଳତା ଓ ଆକର୍ଷଣ ହେଉଛି ଡ଼ଃ ବ୍ରହ୍ମା ଶହେରୁ ଅଧିକ ଶିକ୍ଷାବିତ ଏବଂ ଓଡ଼ିଶାର ଶିକ୍ଷା ସହିତ ଜଡ଼ିତ ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ପ୍ରଫେସର ଶରତ ଚନ୍ଦ୍ରଙ୍କ ସମ୍ପର୍କରେ ଯେଉଁ ମତ ସଂଗ୍ରହ କରିଛନ୍ତି।'ସେମାନଙ୍କ ଦୃଷ୍ଟିରେ ପ୍ରଫେସର ଦାଶ' ଶୀର୍ଷକ ପରିଶିଷ୍ଟରେ ସଂଗୃହୀତ ମତର ଉପସ୍ଥାପନା ଏକ ଆୟାସସାଧ୍ୟ କାର୍ଯ୍ୟ ନିଶ୍ଚିତରେ।

ପୁସ୍ତକରେ ପ୍ରଫେସର ଦାଶଙ୍କ ଜନ୍ମ ବୃତ୍ତାନ୍ତ ଠାରୁ ଆରମ୍ଭ କରି ପ୍ରଜ୍ଞାପୁରୁଷଙ୍କ ଶେଷଯାତ୍ରା ପର୍ଯ୍ୟନ୍ତ ସମଗ୍ର ଜୀବନ ଓ ଘଟଣାକୁ 75 ପାଖାପାଖି ଅଧ୍ୟାୟରେ ବାଣ୍ଟିଛନ୍ତି ଲେଖକ।ତା ଛଡ଼ା ପ୍ରଫେସର ଦାଶଙ୍କ ଆଲବମରୁ କିଛି ଫୋଟୋ ବି ଅଣାଯାଇଛି ଓ ତାଙ୍କ ହାତଲେଖାର ନକଲ ମଧ୍ୟ।ଏହା ଦ୍ୱାରା  ପୁସ୍ତକର ଗୁରୁତ୍ବ ଢ଼େର ପରିମାଣରେ ବୃଦ୍ଧି ପାଇଛି।

ପ୍ରଫେସର ଶରତ ଚନ୍ଦ୍ର ଦାଶ ପ୍ରକୃତ ଅର୍ଥରେ ଥିଲେ ଜଣେ ପୂର୍ଣ୍ଣାଙ୍ଗ ମଣିଷ।ତାଙ୍କର ସେହି ବିରଳ ବ୍ୟକ୍ତିତ୍ୱର ସଫଳ ଆକଳନ ତଥା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେଉଛି  ଡ଼ଃ ବ୍ରହ୍ମାଙ୍କ ରଚିତ ଏହି ପୁସ୍ତକ।ସାମ୍ପ୍ରତିକ ସମୟରେ ଶିକ୍ଷା କ୍ଷେତ୍ରରେ ଯେଉଁମାନେ ଆତଯାତ ହେଉଛନ୍ତି ସେମାନଙ୍କ ପାଇଁ ଏହା ଅବଶ୍ୟ ପଠନୀୟ।ଓଡ଼ିଶାରେ ଶିକ୍ଷାର ଅତୀତ କଣ ଥିଲା,ତାର ଇତିବୃତ୍ତ ଓ  ବର୍ତ୍ତମାନର ଅବସ୍ଥା କଣ ରହିଛି ତାହାର ଏକ ତୁଳନାତ୍ମକ ଅନ୍ତର୍ଦୃଷ୍ଟି ହେଉଛି ଏହି ଗ୍ରନ୍ଥ।

ଘଟଣାବଶତଃ,ବିସ୍ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ମୃତିକୁ ତେଜେଇବା ଲକ୍ଷ୍ୟରେ ଯେଉଁ ନିରବଛିନ୍ନ କାର୍ଯ୍ୟଟି ଲେଖକ କରିଚାଲିଛନ୍ତି ତାହା ପ୍ରଶଂସନୀୟ।ଶିକ୍ଷା ଗବେଷଣାକ୍ଷେତ୍ରରେ ନିଜେ ପାଖାପାଖି ଅର୍ଦ୍ଧ ଶତାବ୍ଦୀ ସମୟ ବିତାଇଥିବା ଡ଼ଃ ଦିଗରାଜ ବ୍ରହ୍ମାଙ୍କ  ରଚନାତ୍ମକ କାର୍ଯ୍ୟର ଗଭୀର ପ୍ରତିଫଳନ ଏହି ଜୀବନୀ ପୁସ୍ତକ।

ପ୍ରଜ୍ଞାପୁରୁଷ ପ୍ରଫେସର ଶରତ ଚନ୍ଦ୍ର ଦାଶ(ଜୀବନୀ)
ଲେ:ଡ଼ଃ ଦିଗରାଜ ବ୍ରହ୍ମା
ପରିକଳ୍ପନା ଓ ପ୍ରସ୍ତାବନା:ପ୍ରଫେସର ନିର୍ମଳ ଚନ୍ଦ୍ର ଦାଶ

ରାଷ୍ଟ୍ରୀୟ ସାହିତ୍ୟ ସଂସ୍ଥାନ,ସାହିତ୍ୟ ଭବନ
722,ଜନପଥ, ୟୁନିଟ -3,ଭୁବନେଶ୍ବର-751001
ମୂଲ୍ୟ 250 ଟଙ୍କା

No comments:

Post a Comment