Saturday, August 25, 2018

ଫିଙ୍ଗା ଏକ ମୋଟା ଡାଏରୀ 🎂🎂🎂🎂🎂🎂🎂🎂 ଫିଙ୍ଗା ଏକ ମୋଟା ଡାଏରୀର ଫର୍ଦ୍ଦ ଫର୍ଦ୍ଦ ପଢୁ ପଢୁ ହଠାତ୍ ଦେଖିଲି ମୁଁ କେଉଁ ଏକ ପତଳା ମନର ଦର ଭିଜା କଥା ଓ କାହାଣୀ । କି ସମୟ ହୋଇଛି କେଜାଣି ସ୍ୱଳ୍ପ ପାଠ ପଢିଥିବା ସହରୀ ବରଟା ବାପାଙ୍କୁ ତା' ଲେଖିଅଛି ଦେବାପାଇଁ ମୋଟା ଅର୍ଥ ତା'ର ବରତ୍ୱର ବୀର ବେଶ ପାଇଁ । ହଠାତ୍ ଡାଏରୀର ଗତିପଥ ନେଲା ଏକ ସମ୍ଭାବନା ଅଥବା କେଉଁ ଏକ ବିକଳ୍ପର ମୋଡ଼ । ସତେ ଯେମିତି ଏମିତି କଛି ବି ଘଟନ୍ତା ଆଉ ସେ ଚାଲି ଯାଆନ୍ତା ତା' ଶାଶୂଘରକୁ ଯେଉଁଠି ନଥାନ୍ତା ଟଙ୍କା କିମ୍ବା ପଇସାର କଥା ବନ୍ଧା ପଡୁଥିବା ନାରୀର ଆତ୍ମ ମର୍ଯ୍ୟାଦାର ଆତ୍ମିକ ରଫା ଦଫା । ହଠାତ୍ ପଛରୁ କେ ଡାକିଦେଲା, " ବଉଳ ଲୋ ! ଦେଖ କିଏ ହସି ହସି ଆସିଛନ୍ତି ତୋତେ ନେବାପାଇଁ ହାତେ ଧରି ଫୁଲତୋଡା ସାଥିରେ ବି ଆଣିଛନ୍ତି ଫଗୁଣକୁ ସଶ୍ରଦ୍ଧରେ ନେଇ ।"

Odia poem

Thursday, August 23, 2018

Ratha Chalijiba

କବିତା :
        ରଥ ଚାଲିଯିବ ରଥୀର ଦେଶେ
    🎂🎂🎂🎂🎂🎂🎂🎂

   ପର ସ୍ୱାର୍ଥ ପାଇଁ     ଯିଏ ପରମାର୍ଥ
           ନିଜକଥା କେବେ ଭାବଇ ନାହିଁ
   ଖଟି ଖଟି ଯା'ର        ଜୀବନ ଯାଉଛି
           ଏପରି ମଣିଷ ଦେଖିଛ କାହିଁ  ?

   ଆପଣା ମଣିଷ             ହୋଇଯାଏ ପର
              ଛାଡି ଚାଲିଗଲେ ନିଜର ଘର
   ନିଜର ଦୁନିଆ                  ବୁଝିଥାଏ ଯିଏ
              ସିଏ କି ନିଜକୁ କରିବ  ପର !

        ଦି 'ଦିନ ଜୀବନ           ଯାଉଅଛି ସରି
             ଜୀବନ ଯମୁନା ଯାଉଛି ଶୁଖି
      ସମୟ ସ୍ରୋତର          ଉଜାଣି ଢେଉରେ
           ଦୁଃଖୀ ଜନ କ'ଣ ହେଲେଣି ସୁଖୀ !

    ଯା' ପାଇଁ ବେଦନା    ଯା' ପାଇଁ ଶୋଚନା
                 ସିଏତ ଜୀବନ ମରଣ ପ୍ରୀତି
     ଫୁଲ ଫଗୁଣର            ମଣିଷ ପାଇଁ କି
              ନାହିଁ କି ମନରେ ଟିକିଏ ଭୀତି  !

          ମଣିଷ ଖୋଜୁଛି         ଜୀବନର ରାହା
             କିଏ ସେ କିପରି ହେବାକୁ ସାହା
         ରଥେ ବସିଛନ୍ତି            ବିଶ୍ୱ ମହାରଥୀ
                ପ୍ରସାରିତ କରି ତାଙ୍କର ବାହା ।

       ହିସାବ ନିକାଶ           ସରିବ ଯେ ଦିନ
             ନେଇ ଯିବେ ପାଶେ  ନାଟକ ଶେଷେ
        ଘରକୁ ବାହୁଡା       ହେବ ସେହିଦିନ
                  ରଥ ଚାଲିଯିବ ରଥୀର ଦେଶେ ।

କୈବର୍ତ୍ତ

Kiese Lekhuchhi Prashanti Balaye

Odia Poem ଜୟ ପରଂବ୍ରହ୍ମ ଜୟ
🎂🎂🎂🎂🎂🎂🎂🎂🎂🎂🎂🎂🎂🎂🎂

ଶାନ୍ତ ବଳୟେ     କିଏସେ ଲେଖୁଛି
       ପ୍ରଶାନ୍ତିର ଯେତେକଥା
ମଥା ଅବନତେ     ହୋଇଥିଲେ ଠିଆ
     ତୋଳିଧରେ କିଏ ମଥା
              ସିଏ କି ଅନନ୍ତ     ବିଶ୍ୱର ଈଶ୍ୱର
                ଯା'ର ରୂପରେଖ ନାହିଁ
           କିପରି କଳିବୁ     କୁହ ତୁମେ ପ୍ରଭୁ
             ଦିବ୍ୟ ଦୃଷ୍ଟି ଅଛି କାହିଁ  !

ଗଗନେ ଗଗନେ ପବନେ ପବନେ
   ଶୁଭେ ତୁମ ବଂଶୀ ସ୍ଵନ
ଯେତେ ନିରିମାଖୀ  ନିର୍ବାକ ନିଃସ୍ପନ୍ଦ
     ହେଲେ ହେଉ ତନୁ ମନ
                 ଜାଗୃତ ହୁଏ   ଝଙ୍କୃତ ହୁଏ
                     ପାରୁନା ଆମେ ତ ଜାଣି
             ତୁମେ କି ଅସୀମ  ଶୂନ୍ୟ ପରଂବ୍ରହ୍ମ
                      ଯୁଗ ଜିଣା ତୁମ ବାଣୀ !

ହେ ଯୁଗ ପୁରୁଷ !    ଯୁଗ ଅବତାର
         ବଜାଅ ତୁମର ବଂଶୀ
ପ୍ରତିଟି ମଣିଷ     ହୃଦୟ  ମନ୍ଦିରେ
          ନାଚି ଉଠୁ ମନହଂସୀ
               ଭୂମିରୁ ଭୂମାକୁ  ପରିବ୍ୟାପ୍ତ ହେଉ
                       ତବ ସୃଷ୍ଟି ସ୍ଥିତି ଲୟ
                 ସର୍ବ ମନ ପ୍ରାଣ  ଗାଇ ଉଠୁ ଆଜି
                        ଜୟ ପରଂବ୍ରହ୍ମ ଜୟ ।

         

ଅନେକ ଦିନପରେଅନେକ ଦିନପରେ 🎂🎂🎂🎂🎂 ଅନେକ ଦିନପରେ ଇଚ୍ଛାମାନେ ଫଳବତୀ ହେଲେ ନିଜ ନିଜ ବାଟ ଦେଖି ଓଗାଳି ଚାଲିଲେ । ସେଠି ଦୁଃଖ ଥାଉ ଯନ୍ତ୍ରଣା ବି ଥାଉ ସ୍ୱର୍ଗ ଥାଉ ,ନର୍କ ଅବା ଥାଉ ସେଥିପାଇଁ ଟିକେହେଲେ ନିଘା ଦେଲେ ନାହିଁ ବରଂ ନିଜର ନିଜତ୍ୱ ହରାଇ କାମନାର ସର୍ବସ୍ୱ ମଧ୍ୟରେ ସେମାନେ ବି ବିଲୀନ ହୋଇଲେ । ସତେ ଅବା ଅବୁଝା ମଣିଷ ସେମାନେ କେମିତି ବୁଝିବେ ଟିକିଏ କାମନାର ବିନାଶରେ ସବୁ ଦୁଃଖ ମରି ହଜି ଯିବ ଅଣ ଲେଉଟା ବି ହେବ । ଅନେକ ଦିନପରେ ଇଚ୍ଛାମାନେ ଆପେ ଆପେ ମରିଗଲେ ସତେଯେମିତି ସବୁଦିନ ପାଇଁ ସମର୍ପଣ ଭାବନେଇ ନିର୍ବାଣ ପାଇଲେ ।

Odia Poem

ଯୁଗ ଯୁଗପାଇଁ ତୁମ ଜଗତିରେ

ଯୁଗ ଯୁଗ ପାଇଁ ତୁମ ଜଗତିରେ
🎂🎂🎂🎂🎂🎂🎂🎂🎂

ଜୀବନ ଦେଇଛି       ଯେତେ ରଙ୍ଗ ଆଣି
          ସବୁଯାଏ ଫିକା ହୋଇ
ସତେକି ରଙ୍ଗର       ଅସୀମ ବିଭବ
          ରହିଅଛି ଦୂରୁ ଚାହିଁ  !
               ଆସେକି  ଶୂନ୍ୟରୁ ଡାକ
        ଶୁନ୍ୟବାସୀ କିଏ     ଉଭା ହୋଇଛନ୍ତି
             ଶୂନ୍ୟ ଖାଲି  ଶୂନ୍ୟାଲୋକ ।

  ଆକାଶେ କି ସତେ       ଅଲେଖ ଅଦେହୀ
             ଶୂନ୍ୟ ଦେହେଛନ୍ତି ରହି
    ରୋମାଂଚିତ ହୁଏ  ସର୍ବ ତନୁ ମନ
            ଅନ୍ତରୁ କେ ଦେହେ କହି ;
           ଆତ୍ମାରେ ଆତ୍ମାରେ     ରହିଅଛି ମୁହିଁ
                       ସର୍ବ ଘଟେ ମୋର ସତ୍ତା
            ସେଥିପାଇଁ  ମୋତେ    ଜଗତ କହୁଛି
                       ପରଂବ୍ରହ୍ମ  ପରମାତ୍ମା ।

  ନୟନ ପଲକେ  ଦେଖଇ ଜଗତେ
            ଉଭା ହୋଇଛନ୍ତି ଜଣେ
  ସେତ ଶୂନ୍ୟଦେହୀ  ଅଲେଖ ପୁରୁଷ
            ନିର୍ବାକ ଜଗତ କ୍ଷଣେ  ;
                 ସିଏତ ଅରୂପ   ଅନାଦି ଅନନ୍ତ
                       ପରଂବ୍ରହ୍ମ  ସନାତନ
          ଯେଉଁଠାରେ ଦିନେ ଦେହ ମୋହ ଛାଡି
                ଆତ୍ମା ହୋଇଯାଏ ଲୀନ  ।

ହେ ଆତ୍ମା ପୁରୁଷ !    ହେ ପରମାତ୍ମା  !!
              ଦେବ ଯଦି ତୁମେ ଦିଅ
   ତୁମରି ରଙ୍ଗର       ଅସୀମ ବିଭବ
            ସବୁ ଦୁଃଖ ଦୈନ୍ୟ ନିଅ ;
             ଏ ଧରା ଧାମରେ    ସବୁଦିନପାଇଁ
                ପାପ ପୁଣ୍ୟ ଏକ ହେଉ
              ଯୁଗ ଯୁଗ ପାଇଁ   ତୁମ ଜଗତିରେ
                    ମହିମା ମହତ୍ତ୍ଵ ଥାଉ ।

Acharya Upadhi Emitibi Mile

ଅତୀତ ଇତିହାସ ପୃଷ୍ଠାରୁ ଖିଏ  :

    'ଆଚାର୍ଯ୍ୟ'  ଉପାଧି ବି ଏମିତି ମିଳେ
🎂🎂🎂🎂🎂🎂🎂🎂🎂🎂🎂🎂🎂🎂

       ଦିନକର କଥା । ହଠାତ୍ ବିଦ୍ୟାଳୟର ପ୍ରତିଷ୍ଠାତା ଆସି ବିଦ୍ୟାଳୟରେ ପହଂଚି ଗଲେ । ଦେଖିଲେ ସବୁ ଶ୍ରେଣୀ ଖାଲି ପଡ଼ିଛି । କେବଳ ଦୁଇଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ସେଥି ମଧ୍ୟରୁ ଜଣେ ଶିକ୍ଷକ ଜରରେ ଥାଇ ମଧ୍ୟ ଶିକ୍ଷା ଦାନ କରୁଛନ୍ତି। ଆଉ କିଏ କିଏ ପାଠପଢା ଛାଡି ଷ୍ଟାଫ କମନ ରୁମରେ ବସି ଗୀତ, ଗପ ନାଟକ ଆଦି ଲେଖୁଛନ୍ତି । ଆଉ କେତେଜଣ ବିଦ୍ୟାଳୟର ହତା ଛାଡି ନିଜ ନିଜ କାମରେ ବାହାରକୁ ଚାଲି ଯାଇଛନ୍ତି ।

      ନିଜ  ହାତଗଢା ମଣିଷ ଗଢ଼ା କାରଖାନାର ଏପରି ସ୍ଥିତି ଦେଖି ସେ ବ୍ୟସ୍ତ ଓ ବିବ୍ରତ ହୋଇ ପଡିଲେ । ସଙ୍ଗେ ସଙ୍ଗେ ତାଙ୍କ ଆଦେଶରେ ବିଦ୍ୟାଳୟର ଛୁଟି ଘଣ୍ଟା ବଜାଇ ଦିଆଗଲା ।
        ଛୁଟି ପରେପରେ ସେ ବିଦ୍ୟାଳୟର ଶାନ୍ତି ଓ ଶୃଙ୍ଖଳା ସମ୍ପର୍କରେ ଉପସ୍ଥିତ ଛାତ୍ର ଓ ଶିକ୍ଷକମାନଙ୍କ ସହିତ ଆଲୋଚନା କଲେ । ଖୁଣ୍ଟ ଗୁଣେ ଘୋଡ଼ା ନାଚେ ବୋଲି ତାଙ୍କର ଧାରଣା ହେଲା । ସଙ୍ଗେ ସଙ୍ଗେ ସେ  ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀ ଉଠାଇ ଦେଲେ । ଆଉ ସେହି ପଦବୀର ନୂତନ ନାମକରଣ ହେଲା "ଆଚାର୍ଯ୍ୟ" । ଅନୁଷ୍ଠାନର ସେହି ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେଲେ ଶିକ୍ଷକ  ହରିହର ଦାସ । 
          ସେହି ସମୟରେ ଆମ ରାଜ୍ୟରେ ଅନେକ ନାମଜାଦା ଆଚାର୍ଯ୍ୟ ଥିଲେ । ସେମାନେ ଥିଲେ ଅଟଳ ବିହାରୀ ଆଚାର୍ଯ୍ୟ,ପରମାନନ୍ଦ ଆଚାର୍ଯ୍ୟ, ସୁରେନ୍ଦ୍ରନାଥ ଆଚାର୍ଯ୍ୟ ପ୍ରମୁଖ ବ୍ୟକ୍ତି ବିଶେଷ । ସେମାନଙ୍କ ନାମ ପଛରେ ଥିବା ଆଚାର୍ଯ୍ୟ ଶବ୍ଦ କେବଳ ବଂଶ ପରମ୍ପରା ଅନୁଯାୟୀ ସଂଯୋଜିତ । କେବଳ ନାମ ବାଦଦେଇ ଆଚାର୍ଯ୍ୟ କହିଲେ  ସତ୍ୟବାଦୀ ବିଦ୍ୟାଳୟର ଶିକ୍ଷକ ହରିହରଙ୍କୁ ବୁଝାଏ ।
      ସେ ଦିନ ରାଜ୍ୟର ସେହି ଅପ୍ରତିଦ୍ବନ୍ଦୀ ଶିକ୍ଷକଙ୍କୁ ଯିଏ ଏହି ଦୁର୍ଲ୍ଲଭ 'ଆଚାର୍ଯ୍ୟ ' ଉପାଧିରେ ଭୂଷିତ କରିଥିଲେ, ସେ ହେଉଛନ୍ତି ଆମ ରାଜ୍ୟର ବିଂଶ ଶତାବ୍ଦୀର କଳା, ସାହିତ୍ୟ, ସଂସ୍କୃତିର ଅନନ୍ୟ ବିନ୍ଧାଣି ପଣ୍ଡିତ ଗୋପବନ୍ଧୁ ଦାସ । ତାଙ୍କ ପ୍ରଦତ୍ତ ଆଚାର୍ଯ୍ୟ ଉପାଧି  ଏତେ ଶକ୍ତିଶାଳୀ ଓ ମହନୀୟ ଥିଲାଯେ ସମ୍ପ୍ରତି ରାଜ୍ୟର ଆଚାର୍ଯ୍ୟ କହିଲେ କେବଳ ଜଣଙ୍କୁ ବୁଝାଯାଏ ।
         ସେ ହେଉଛନ୍ତି ଆମ ରାଜ୍ୟର ଏକ ମାତ୍ର ଆଚାର୍ଯ୍ୟ । 'ଆଚାର୍ଯ୍ୟ ମହାଶୟ'  : ଆଚାର୍ଯ୍ୟ ହରିହର । ଯିଏ ନିଜର କାର୍ଯ୍ୟ ଓ ଆଚରଣ ମଧ୍ୟରେ ଅନନ୍ୟ ସମନ୍ୱୟ ପ୍ରତିଷ୍ଠା କରି କାଳବକ୍ଷର ଅନନ୍ତ ସ୍ରୋତରେ ନିଜର ପଦଚିହ୍ନ ଛାଡି ଯାଇଛନ୍ତି ।
           
   ଆଉ ସେ ଦିନ ତାଙ୍କ ସହିତ ଜରସତ୍ତ୍ୱେ ପାଠ ପଢ଼ାଉଥିବା ଶିକ୍ଷକ ଜଣକ ହେଉଛନ୍ତି  ପଣ୍ଡିତ ଗୋଦାବରୀଶ ମିଶ୍ର ।

Book Review :ପ୍ରଜ୍ଞା ପୁରୁଷ ପ୍ରଫେସର ଶରତ ଚନ୍ଦ୍ର ଦାଶ୍

ପୁସ୍ତକ ସମୀକ୍ଷା:ପ୍ରଜ୍ଞାପୁରୁଷ ପ୍ରଫେସର ଶରତ ଚନ୍ଦ୍ର ଦାଶ

ଭାସ୍କର ପରିଛା

ଓଡ଼ିଶାର ଯେଉଁ କେତେଜଣ  ଶିକ୍ଷାବିତ ବିସ୍ମୃତ ଅଥଚ ଆଜି ବି  ଲୋକପ୍ରିୟ ସେମାନଙ୍କ ମଧ୍ୟରେ ଅଛନ୍ତି  ପ୍ରାଣକୃଷ୍ଣ ପରିଜା,ବିଦ୍ୟାଧର ମିଶ୍ର,ଶ୍ରୀରାମଚନ୍ଦ୍ର ଦାଶ,ଶତ୍ରୁଘ୍ନ ନାଥ,ମହେନ୍ଦ୍ର ରାଉତ ଏବଂ ଆହୁରି ଅନେକ।ଓଡ଼ିଶାର ଶିକ୍ଷାକୁ  ଗଠନମୂଳକ ଭାବରେ ଓ  ଭବିଷ୍ୟତ ପିଢୀକୁ ଦୃଷ୍ଟିରେ ରଖି ଦିଗଦର୍ଶନ ଦେବା ଏବଂ ନିଜେ  ଉଚ୍ଚ ମୁଲ୍ୟବୋଧର ଅଧିକାରୀ ହେବା ଖୁବ୍ କମ ଶିକ୍ଷାବିତଙ୍କ କ୍ଷେତ୍ରରେ ସମ୍ଭବ ହୋଇପାରିଛି। ବିଦେଶରେ ଉଚ୍ଚ ଶିକ୍ଷା ଲାଭକରି ସେହି ଶିକ୍ଷାଲବ୍ଧ ଜ୍ଞାନକୁ କାର୍ଯ୍ୟରେ ଲଗାଇବା ଓ ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନର ସୂତ୍ରପାତ କରାଇପାରିଥିବା ଶିକ୍ଷାନୁରାଗୀ ଓ ଦୂରଦ୍ରଷ୍ଟା ମାନଙ୍କ ମଧ୍ୟରେ ପ୍ରଫେସର ଶରତ ଚନ୍ଦ୍ର ଦାଶ (21 ଅଗଷ୍ଟ  1930 - 7 ଅଗଷ୍ଟ 2013) ଅନ୍ୟତମ।

ତାଙ୍କର ଘଟଣାବହୁଳ ଶିକ୍ଷା ଜୀବନକୁ ଲିପିବଦ୍ଧ କଲେ ଗୋଟିଏ ପୁସ୍ତକ ଯଥେଷ୍ଟ ହେବ ନାହିଁ।କିନ୍ତୁ ଡ଼ଃ ଦିଗରାଜ ବ୍ରହ୍ମା ଶରତ ଚନ୍ଦ୍ରଙ୍କ ସୁଦୀର୍ଘ ଶିକ୍ଷା ଜୀବନର ଶତାଧିକ ଘଟଣାକୁ ଏକତ୍ର କରି ଖଣ୍ଡିଏ  ପୁସ୍ତକରେ  ପରିବେଷଣ କରିପାରିଛନ୍ତି - ଯାହାକୁ କୁହାଯାଏ ବିନ୍ଦୁରେ ସିନ୍ଧୁ ଦର୍ଶନ।

ଲେଖକୀୟ ଅଭିବ୍ୟକ୍ତିରେ ଡ଼ଃ ବ୍ରହ୍ମା ଲେଖିଛନ୍ତି,"ପ୍ରାୟ ଅର୍ଦ୍ଧଶତାବ୍ଦୀରୁ  ଉର୍ଦ୍ଧ୍ଵ କାଳ ତାଙ୍କର ଶୈକ୍ଷିକ କାର୍ଯ୍ୟଧାରା ଓଡ଼ିଶାର ଶରତ ପ୍ରେମୀ ବନ୍ଧୁ ମାନଙ୍କୁ ଅନୁପ୍ରାଣିତ କରିବା ସହିତ ତାଙ୍କର ଅଗଣିତ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ପ୍ରଭାବିତ କରିଥିଲା।ଏତଦବ୍ୟତୀତ ତାଙ୍କର ଚିନ୍ତାଧାରା ଆମ୍ଭମାନଙ୍କ ପାଇଁ ଆଦର୍ଶ ଓ ପରମ୍ପରା ହୋଇ ରହିଛି।ଏହି ପରମ୍ପରା ମଧ୍ୟରେ ତାଙ୍କ ରଚିତ ସଂସ୍କୃତି ସମ୍ପନ୍ନ ରଚନାତ୍ମକ କାର୍ଯ୍ୟ ଓ ସମାଜସେବା ଓଡ଼ିଶାର ଜନଜୀବନ ଓ ଭବିଷ୍ୟତ ବଂଶଧର ମାନଙ୍କ ପାଇଁ ବାର୍ତ୍ତା ବହନ କରେ।"

ଢେଙ୍କାନାଳ ଜିଲ୍ଲା କେନ୍ଦୁଢିପରେ ଜନ୍ମ ଓ ଭୁବନେଶ୍ବର ଭିଏସଏସ ନଗରରେ ମୃତ୍ୟୁ,ଶରତ ଚନ୍ଦ୍ର ଦାଶ ଥିଲେ ପ୍ରକୃତ ଅର୍ଥରେ ଜଣେ କର୍ମଯୋଗୀ।ଜଣେ ଜଣେ ବ୍ୟକ୍ତି  ଥାଆନ୍ତି ଯେଉଁମାନେ ଅନୁଷ୍ଠାନ ଗଢ଼ିବା ପାଇଁ ଖୁବ୍ ଭଲ ପାଆନ୍ତି।ଶରତ ଚନ୍ଦ୍ର ଥିଲେ ସେଥି  ଭିତରୁ ଜଣେ। ଉଚ୍ଚ ଶିକ୍ଷାର ନିୟମିତ ଓ ଘୋଷିତ  କାର୍ଯ୍ୟକ୍ରମ ବ୍ୟତୀତ ଶିକ୍ଷକ ତାଲିମ ,ଶିକ୍ଷା ଟେଲିଭିଜନ କାର୍ଯ୍ୟକ୍ରମ ବା ଏଜୁକେଶନଲ ଟିଭି,  ଶିକ୍ଷା ଓ ଗବେଷଣାର ସମୃଦ୍ଧିକରଣ ,ଓଡ଼ିଆ ବର୍ଣ୍ଣାଶୁଦ୍ଧି ପାଇଁ ସଚେତନତା,ଆଜିକାଲି ବିଭିନ୍ନ ସ୍କୁଲରେ ଅନୁଷ୍ଠିତ ହେଉଥିବା ବିଜ୍ଞାନ ପ୍ରଦର୍ଶନୀ,ପ୍ରାକ୍ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ଆଦି ଅନେକ ନୂତନ ଚିନ୍ତାଧାରାର  ପ୍ରବର୍ତ୍ତକ ଥିଲେ ଶରତ ଚନ୍ଦ୍ର।ଓଡ଼ିଶାରେ ଏଭଳି କୌଣସି ଟିଚର ଏଜୁକେଟର ନାହାନ୍ତି ଯିଏ ତାଙ୍କୁ ଜାଣିନଥିବେ ବା ତାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଶିକ୍ଷାନର ଉତ୍କର୍ଷକୁ ଅନୁଭବ  କରିନଥିବେ।

ଦେଢ଼ ଶହ ପୃଷ୍ଠାର କଳେବର ଭିତରେ ଶରତ ଚନ୍ଦ୍ର ଦାଶଙ୍କ ସୁଲମ୍ବିତ  ଶିକ୍ଷକ ଜୀବନର ସାଧନା ଓ ସାଫଲ୍ୟକୁ ଟିକିନିଖି ଭାବରେ ଓ ତାରିଖ ତଥା ବର୍ଷ ଅନୁକ୍ରମରେ ସଜାଡ଼ିବା ଏକ ଦୁରୂହ ପ୍ରଚେଷ୍ଟା। ଆଲୋଚ୍ୟ ପୁସ୍ତକ ଜରିଆରେ  ଅଧିକ ଗବେଷଣା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିବାରୁ ଡ଼ଃ ବ୍ରହ୍ମାଙ୍କ ଏହି କାର୍ଯ୍ୟଟି ଏକ ବଡ଼ ଉପଲବ୍ଧି  ଓ ଓଡ଼ିଶାର ଶିକ୍ଷା ଇତିହାସ ପାଇଁ ଏକ ବଡ଼ ଅବଦାନ ।

ପୁସ୍ତକଟିର ଏକ ବଡ଼ ସଫଳତା ଓ ଆକର୍ଷଣ ହେଉଛି ଡ଼ଃ ବ୍ରହ୍ମା ଶହେରୁ ଅଧିକ ଶିକ୍ଷାବିତ ଏବଂ ଓଡ଼ିଶାର ଶିକ୍ଷା ସହିତ ଜଡ଼ିତ ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ପ୍ରଫେସର ଶରତ ଚନ୍ଦ୍ରଙ୍କ ସମ୍ପର୍କରେ ଯେଉଁ ମତ ସଂଗ୍ରହ କରିଛନ୍ତି।'ସେମାନଙ୍କ ଦୃଷ୍ଟିରେ ପ୍ରଫେସର ଦାଶ' ଶୀର୍ଷକ ପରିଶିଷ୍ଟରେ ସଂଗୃହୀତ ମତର ଉପସ୍ଥାପନା ଏକ ଆୟାସସାଧ୍ୟ କାର୍ଯ୍ୟ ନିଶ୍ଚିତରେ।

ପୁସ୍ତକରେ ପ୍ରଫେସର ଦାଶଙ୍କ ଜନ୍ମ ବୃତ୍ତାନ୍ତ ଠାରୁ ଆରମ୍ଭ କରି ପ୍ରଜ୍ଞାପୁରୁଷଙ୍କ ଶେଷଯାତ୍ରା ପର୍ଯ୍ୟନ୍ତ ସମଗ୍ର ଜୀବନ ଓ ଘଟଣାକୁ 75 ପାଖାପାଖି ଅଧ୍ୟାୟରେ ବାଣ୍ଟିଛନ୍ତି ଲେଖକ।ତା ଛଡ଼ା ପ୍ରଫେସର ଦାଶଙ୍କ ଆଲବମରୁ କିଛି ଫୋଟୋ ବି ଅଣାଯାଇଛି ଓ ତାଙ୍କ ହାତଲେଖାର ନକଲ ମଧ୍ୟ।ଏହା ଦ୍ୱାରା  ପୁସ୍ତକର ଗୁରୁତ୍ବ ଢ଼େର ପରିମାଣରେ ବୃଦ୍ଧି ପାଇଛି।

ପ୍ରଫେସର ଶରତ ଚନ୍ଦ୍ର ଦାଶ ପ୍ରକୃତ ଅର୍ଥରେ ଥିଲେ ଜଣେ ପୂର୍ଣ୍ଣାଙ୍ଗ ମଣିଷ।ତାଙ୍କର ସେହି ବିରଳ ବ୍ୟକ୍ତିତ୍ୱର ସଫଳ ଆକଳନ ତଥା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେଉଛି  ଡ଼ଃ ବ୍ରହ୍ମାଙ୍କ ରଚିତ ଏହି ପୁସ୍ତକ।ସାମ୍ପ୍ରତିକ ସମୟରେ ଶିକ୍ଷା କ୍ଷେତ୍ରରେ ଯେଉଁମାନେ ଆତଯାତ ହେଉଛନ୍ତି ସେମାନଙ୍କ ପାଇଁ ଏହା ଅବଶ୍ୟ ପଠନୀୟ।ଓଡ଼ିଶାରେ ଶିକ୍ଷାର ଅତୀତ କଣ ଥିଲା,ତାର ଇତିବୃତ୍ତ ଓ  ବର୍ତ୍ତମାନର ଅବସ୍ଥା କଣ ରହିଛି ତାହାର ଏକ ତୁଳନାତ୍ମକ ଅନ୍ତର୍ଦୃଷ୍ଟି ହେଉଛି ଏହି ଗ୍ରନ୍ଥ।

ଘଟଣାବଶତଃ,ବିସ୍ମୃତ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ମୃତିକୁ ତେଜେଇବା ଲକ୍ଷ୍ୟରେ ଯେଉଁ ନିରବଛିନ୍ନ କାର୍ଯ୍ୟଟି ଲେଖକ କରିଚାଲିଛନ୍ତି ତାହା ପ୍ରଶଂସନୀୟ।ଶିକ୍ଷା ଗବେଷଣାକ୍ଷେତ୍ରରେ ନିଜେ ପାଖାପାଖି ଅର୍ଦ୍ଧ ଶତାବ୍ଦୀ ସମୟ ବିତାଇଥିବା ଡ଼ଃ ଦିଗରାଜ ବ୍ରହ୍ମାଙ୍କ  ରଚନାତ୍ମକ କାର୍ଯ୍ୟର ଗଭୀର ପ୍ରତିଫଳନ ଏହି ଜୀବନୀ ପୁସ୍ତକ।

ପ୍ରଜ୍ଞାପୁରୁଷ ପ୍ରଫେସର ଶରତ ଚନ୍ଦ୍ର ଦାଶ(ଜୀବନୀ)
ଲେ:ଡ଼ଃ ଦିଗରାଜ ବ୍ରହ୍ମା
ପରିକଳ୍ପନା ଓ ପ୍ରସ୍ତାବନା:ପ୍ରଫେସର ନିର୍ମଳ ଚନ୍ଦ୍ର ଦାଶ

ରାଷ୍ଟ୍ରୀୟ ସାହିତ୍ୟ ସଂସ୍ଥାନ,ସାହିତ୍ୟ ଭବନ
722,ଜନପଥ, ୟୁନିଟ -3,ଭୁବନେଶ୍ବର-751001
ମୂଲ୍ୟ 250 ଟଙ୍କା

Kabi Uduachhi Kabeera Raije

କବି ଉଡୁଅଛି
                କବୀର ରାଇଜେ
💐💐💐💐💐💐💐💐💐💐💐💐💐💐💐

     ସିଏ ନୁହେଁ କବି    
             ସେ ନୁହେଁ କବିତା
                ପ୍ରୀତି ପ୍ରଣୟର
                          ଅଲିଭା ସଳିତା
   ଜଳି ଜଳି ଯାହା   
            କେବେତ ଲିଭେନି
                      ହେଲେ ହେଉ ସିଏ
                            ଅଲୋଡା ସବିତା !

     ଜୀବନ ହଜିଛି        
               ଯାତନା ନଗରେ
                      ଯଉବନ ବନ୍ଧା 
                          ଯଉଘରେ ଧୀରେ
     କିଏସେ ପାରିବ           
                କେଉଁ ପରି କଳି
                      ଯେବେ ଧୁଏ ଦୁଃଖ
                            ତା'ନୟନ ନୀରେ ।

    ବିଳପି ବିଳପି          
             ପରାଣ ଉଠିଲେ
                  ବିଜନ ବେଳାର
                             ପକ୍ଷୀଟିଏ ପରି
     କିପରି ବୁଝିବ           
            ଅତୀତରୁ  ଖିଏ
                    ଯାହା ଧରି ସିଏ
                        ପାରି ନାହିଁ ଧରି ।

   ଅତୀତ ହଜିଛି      
          ଅତୀତ  ଦୁଆରେ
                ପ୍ରୀତିର ବନ୍ଧନେ
                      ପ୍ରଣୟିନୀ   ଛନ୍ଦା
   କବି ଉଡୁଅଛି         
              କବୀର ରାଇଜେ
                       କବିତା କି ପଡେ 
                               ତା'ହୃଦୟେ ବନ୍ଧା !

Sunday, August 19, 2018

The Srastha

                   ସ୍ରଷ୍ଟା
🎂🎂🎂🎂🎂🎂🎂🎂🎂🎂🎂🎂🎂🎂

     ଅମୃତ ତବ ସୃଷ୍ଟି  ସ୍ରଷ୍ଟା ହେ ସଙ୍ଗୀତ ମଧୁମୟ
     ବିନ୍ଧାଣି ତବ ହାତର ପରଶେ ସୃଷ୍ଟି ଅମୃତମୟ ।

     କବିର ବୁକୁରେ କି କବିତା ଦେଲ କଣ୍ଠେ ତା' ଜୟଗାନ
    ଗୁଣୁ ଗୁଣୁ ହୋଇ ମଧୁମକ୍ଷୀ ସେ ମଧୁ ସଂଗ୍ରହେ ମନ ।

    ଗ୍ରହ  ନକ୍ଷତ୍ର ଯେଉଁଠି ଯେପରି ସେପରି ଥା'ନ୍ତି ରହି
    ବ୍ୟତିକ୍ରମ ଟିକେ ସୃଷ୍ଟି କରନା ସ୍ରଷ୍ଟାର   ନାମ ବହି ।
   
     ଅମୃତ ତବ ସୃଷ୍ଟି ସ୍ରଷ୍ଟା  ହେ ସଙ୍ଗୀତ  ମଧୁମୟ
     ବିନ୍ଧାଣି ତବ ହାତର ପରଶେ ସୃଷ୍ଟି ଅମୃତମୟ ।


Saturday, August 18, 2018

କୁନି ଜହ୍ନଟିଏ



ଓଢଣୀ ତଳରେ କୁନି ଜହ୍ନଟିଏ
ଦେଉଛି ଟିକିଏ ହସି
ସତେକି ସରଗୁ ସୁନା ପରୀଟିଏ
ମରତେ ଆସିଛି ଖସି !

Prof. Sriram Chandra Dash: An extract from his Biography

This anecdote is presented from the unpublished biography ବାଗ୍ମୀପୁରୁଷ ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାଶ :
ସାର୍ କ'ଣ ସୁନା ଖାଆନ୍ତି
🎂🎂🎂🎂🎂🎂🎂🎂 🎂🎂
 
...
ଜଗସିଂହପୁର ଜିଲ୍ଲାର ବାଲିକୁଦା ମଧ୍ୟଇଂରାଜୀ ବିଦ୍ୟାଳୟ । ସେତେବେଳେ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହାଶୟ ଅଧିକାଂଶ ସମୟରେ ତାଙ୍କ ପୂର୍ବତନ ପ୍ରିୟ ଛାତ୍ର ପାଣୁକୁ ନେଇ ମନରେ ଗର୍ବ କରନ୍ତି । ବେଳେ ବେଳେ ପିଲାମାନଙ୍କୁ କହନ୍ତି ପାଣୁ ମୋର ଏମିତି ସେମିତି ଛାତ୍ର ନୁହେଁ । ସେ ଏବେ ଚାରି ଅଙ୍କ ବିଶିଷ୍ଟ ଦରମା ପାଉଛି । ଆଉ କଟକର ରେଭେନ୍ସା କଲେଜରେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ଅଛି ।
ପିଲାମାନେ ଶିକ୍ଷକଙ୍କ କଥାକୁ କାନଦେଇ ଶୁଣନ୍ତି । ନ ଶୁଣିବେ ବା କିପରି ! ମାସକୁ ପୁଣି ସେ ସମୟରେ ୧୨୫୦ ଟଙ୍କାର ଦରମା । କେତେଜଣଙ୍କ ଭାଗ୍ୟରେ ଏହା ଥାଏ ! ମନେ ମନେ ଭାବନ୍ତି ସେମାନେ କେମିତି ପାଣୁଙ୍କୁ ଦେଖନ୍ତେ ।
ଦିନକର ଘଟଣା । ବିଦ୍ୟାଳୟରେ ଜଣେ ସୁଟ୍ , କୋଟ ଓ ଟାଇ ପିନ୍ଧା, ଡେଙ୍ଗା ଚଉଡା ବ୍ୟକ୍ତି ପହଞ୍ଚିଲେ । ସେତେବେଳକୁ ପିଲାମାନେ ସ୍କୁଲକୁ ଆସି ସାରିଥାଆନ୍ତି । ସେ ପିଲାମାନଙ୍କୁ ସାର୍ କେତେବେଳେ ଆସିବେ ବୋଲି ପଚାରିଲେ ? ସେମିତି ସ୍କୁଲ ବାରଣ୍ଡାରେ ଠିଆହୋଇ ରହିଲେ ।
କିଛି ସମୟପରେ ସାର୍ ଆସିଲେ । ଆଗନ୍ତୁକ ବ୍ୟକ୍ତି ଜଣକ ସାରଙ୍କୁ ପାଦ ଛୁଇଁ ପ୍ରଣାମ କଲେ ।ସାର ତାଙ୍କ ପ୍ରିୟ ଛାତ୍ର ପାଣୁଙ୍କୁ ଦେଖି ଖୁସି ହୋଇଗଲେ । ନିଜେ ଗୋଟିଏ ଚେୟାରରେ ବସିଲେ । ପିଲାମାନେ ତାଙ୍କ ପରିଚୟ ପାଇଲା ମାତ୍ରେ ତାଙ୍କ ପାଇଁ ଆଉ ଗୋଟିଏ ଚେୟାର ଆଣିଲେ । ମାତ୍ର ସେ ଚେୟାରରେ ବସିଲେ ନାହିଁ । ସାର୍ ଙ୍କ ପାଖରେ ଗୋଟିଏ ଡେସ୍କ ଉପରେ ହାତରଖି ଟିକିଏ ନଇଁ ଠିଆ ହେଲେ । କଥାବାର୍ତ୍ତା ହେଲେ। ମାତ୍ର ସାର ଯେତେ କହିଲେ ବି ଚେୟାରରେ ବସିଲେ ନାହିଁ ।
ସାର୍ କହୁଥିବା ଚାରି ଅଙ୍କିଆ ଦରମା ପାଉଥିବା ପାଣୁଯେ ସିଏ ,ଏ କଥା ଆଉ ପିଲାମାନଙ୍କୁ ବୁଝିବାକୁ ଡେରି ଲାଗିଲା ନାହିଁ । ସେମାନେ ତାଙ୍କୁ ପାଦ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଦେଖୁ ଥାଆନ୍ତି ।
କିଛି ସମୟ ପରେ ସେମାନେ ଟିକିଏ ଦୂରକୁ ଚାଲିଗଲେ । ନିଜ ମଧ୍ୟରେ କଥାବାର୍ତ୍ତା ହେଲେ ," ଏ ବ୍ୟକ୍ତି ଜଣଙ୍କଏତେଗୁଡିଏ ଦରମା ପାଉଛନ୍ତି । ନିଶ୍ଚୟ ଭାତ ଖାଉ ନ ଥିବେ ।ସୁନା ଖାଉଥିବେ ।"
ଏ କଥା ସତ କି ମିଛ ଜାଣିବା ପାଇଁ ସେମାନଙ୍କ ମନରେ ଆଗ୍ରହ ଦେଖାଦେଲା । ମାତ୍ର ତାଙ୍କୁ ପଚାରିବ କିଏ ? ଯାହାହେଉ
ସେମାନଙ୍କ ମଧ୍ୟରେ ଜଣେ ଆଗଚଲା ପିଲା ଥିଲା । ସେ ମନରେ ସାହସ ସଞ୍ଚୟ କରି ପଚାରିଲା," ଆଜ୍ଞା , ଆପଣ କ'ଣ ମାସକୁ ୧୨୫୦ ଟଙ୍କା ଦରମା ପାଉଛନ୍ତି ?"
ଉତ୍ତର ଆସିଲା ,"ହଁ "।
"ତାହାହେଲେ ଆପଣ କ'ଣ ଭାତ ନ ଖାଇ ଏବେ ସୁନା ଖାଉଛନ୍ତି ?", ପିଲାଟି ପୁଣି ପଚାରିଲା ।
ପିଲାଟିର ଏପରି ପ୍ରଶ୍ନ ଶୁଣି ପାଣୁ ହସିଲେ । ସାର୍ ମଧ୍ୟ ହସିଲେ । ଚାହୁଁ ଚାହୁଁ ସେଠାରେ ଏକ ହାସ୍ୟରୋଳ ପରିବେଶ ସୃଷ୍ଟି ହେଲା ।
ତା'ପରେ ପାଣୁ ପିଲାମାନଙ୍କୁ ଖାଦ୍ୟ ଓ ପଦାର୍ଥ ମଧ୍ୟରେ ଥିବା ପାର୍ଥକ୍ୟ ସୁନ୍ଦର ସୁନ୍ଦର ଉଦାହରଣ ଦେଇ ବୁଝାଇଲେ । ଖାଦ୍ୟକୁ ଆମେ ଦେହରେ ଶକ୍ତି ପାଇବା ପାଇଁ ଖାଉ ବୋଲି କହିଲେ, ମାତ୍ର ଲୁହା ଓ ସୁନା ଆଦି ଧାତୁକୁ କେହି ଖାଆନ୍ତି ନାହିଁ ବୋଲି କହି ତାହାର ବୈଜ୍ଞାନିକ କାରଣ ମଧ୍ୟ ବୁଝାଇଲେ । ଯିଏ ଯେତେ ରୋଜଗାର କଲେ ମଧ୍ୟ ଭାତ, ଡାଲି , ତରକାରୀ ଆଦି ଖାଏ ବୋଲି ମନ୍ତବ୍ୟ ଦେଲେ ।
ସେଦିନ ୧୯୩୦ ମସିହାରେ ପିଲାମାନଙ୍କୁ ଘଟଣାକ୍ରମେ ଏତେକଥା ବୁଝାଇଥିବା ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ଡକ୍ଟର ପ୍ରାଣକୃଷ୍ଣ ପରିଜା ।ତାଙ୍କୁ ପ୍ରଶ୍ନ ପଚାରିଥିବା ଆଗଚଲା ପିଲାଜଣଙ୍କ ହେଉଛନ୍ତି ସେ ବିଦ୍ୟାଳୟର ତତ୍କାଳୀନ ମେଧାବୀ ଛାତ୍ର ଶ୍ରୀରାମ ,ଯିଏକି ପରବର୍ତ୍ତୀ ସମୟରେ ରାଜନୀତି ଶାସ୍ତ୍ର ବିଶାରଦ ତଥା ବାଗ୍ମୀ ପୁରୁଷ ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାଶ ନାମରେ ଦେଶ ବିଦେଶରେ ଖ୍ୟାତ ।
ଏହି ଦୁଇ ପୁରାତନ ଛାତ୍ରଙ୍କୁ ନେଇ ଜୀବନରେ ଗୌରବ ଅନୁଭବ କରିଥିବା ବାଲିକୁଦା ମଧ୍ୟଇଂରାଜୀ ବିଦ୍ୟାଳୟର କୃତବିଦ୍

Monday, August 13, 2018

Pandit Godabarisha Mishra

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପୁଣ୍ୟ ଦିବସ ଉପଲକ୍ଷେ :
   
            ଭିକାରି ହେବତ ଏମିତି !
🎂🎂🎂🎂🎂🎂🎂🎂🎂🎂🎂🎂🎂🎂

           କଲିକତା ବିଶ୍ୱବିଦ୍ୟାଳୟରୁ ଗୋଦାବରୀଶ ଅର୍ଥନୀତିରେ ଏମ.ଏ ପାଶ କଲେ । ଆର୍ଥିକ ଅବସ୍ଥା ଭଲ ନ ଥିଲା । କ'ଣ କରବେ । ନା ଥିଲା କୂଳ , ନା ଥିଲା କିନାରା !
          ସେହି ସମୟରେ  ତାଙ୍କ ପାଖକୁ
ସେଠାରେ ଥିବା "ମୂକ ବଧିର ବିଦ୍ୟାଳୟ"ର କର୍ତ୍ତୃପକ୍ଷଙ୍କ ପାଖରୁ ବିଲାତ ଯାଇ ମୂକ ବଧିର ଶିକ୍ଷା ଉପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇବା ପାଇଁ ପ୍ରସ୍ତାବ ଆସିଲା । ଏକତ ବୃତ୍ତି ପାଇବେ । ଫେରିଲେ ସଂଗେ ସଂଗେ ସେହି ବିଦ୍ୟାଳୟରେ  ପ୍ରଧାନ ଶିକ୍ଷକ ପଦରେ ଅଧିଷ୍ଠିତ ହେବେ । ଏହି ସୁଯୋଗକୁ ସେ ହାତଛଡ଼ା କଲେ ନାହିଁ ।
       ମାତ୍ର ଯିବେ କେମିତି !  ଆଜିପର୍ଯ୍ୟନ୍ତ ସେ ପଣ୍ଡିତ ଗୋପବନ୍ଧୁଙ୍କୁ ନ ପଚାରି କିଛି କରି ନାହାଁନ୍ତି । ତାଙ୍କୁ ନ ଜଣାଇ ଯିବେ କିପରି ? ଏହି କଥା ତାଙ୍କ ମନକୁ ବାରମ୍ବାର  ଆନ୍ଦୋଳିତ କଲା । ଚିଠି ଲେଖିଲେ । ଉତ୍ତରକୁ ଅପେକ୍ଷା କରି ରହିଲେ ।
      କିଛିଦିନ ପରେ ଚିଠିର ଉତ୍ତର ଆସିଲା ।
      ଉତ୍ତରରେ  ଗୋପବନ୍ଧୁ ଲେଖିଥିଲ ,"ଗୋଦାବରୀଶ ! ତୁମେ କଲିକତାର ମୂକ ବଧିର ବିଦ୍ୟାଳୟରେ ଶିକ୍ଷକ ହେବାକୁ ଯାଉଛ । ଖୁବ ଭଲ କଥା । ସେଠି ଦୁଇ ଚାରିଶହ ପିଲାଙ୍କ ଶିକ୍ଷକ ହେବ । ଏଠି  ତୁମର ସେବାର ସ୍ପର୍ଶ ଟିକକ ପାଇବା ପାଇଁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ ମୂକ ବଧିରଙ୍କ କଥା କ'ଣ  ଭୁଲିଗଲ ? "
              ବାସ୍  ! ଗୋପବନ୍ଧୁଙ୍କର ଚିଠିର ଏହି ଶେଷ କେଇଧାଡ଼ିରେ ଗୋଦାବରୀଶଙ୍କ ମନ ବଦଳିଗଲା । ସେ ପରା ଥିଲେ ତାଙ୍କ ଜୀବନର କର୍ଣ୍ଣଧାର । ତାଙ୍କ କଥାକୁ ବା ସେ କେମିତି ଏଡ଼ାଇ ଯାଆନ୍ତେ !
             ସେଥିପାଇଁ ସେ ଅନେକ ସମୟରେ କହୁଥିଲେ, " ଯଦି ଜୀବନରେ କେବେ ଭିକାରି ହେବାକୁ ପଡେ , ତେବେ ଭିକାରି ହେବ ତ ପଣ୍ଡିତ ଗୋପବନ୍ଧୁଙ୍କ ଭଳି ଲୋକଙ୍କ ସହିତ ପଡ଼ି।  ଯେମିତି ମୁଁ ହୋଇଥିଲି ।"

Odia Poem: ରଥ ଚାଲିଯିବ ରଥୀର ଦେଶେ

ପର ସ୍ୱାର୍ଥ ପାଇଁ ଯିଏ ପରମାର୍ଥ
ନିଜକଥା କେବେ ଭାବଇ ନାହିଁ
ଖଟି ଖଟି ଯା'ର ଜୀବନ ଯାଉଛି
ଏପରି ମଣିଷ ଦେଖିଛ କାହିଁ ?

ଆପଣା ମଣିଷ ହୋଇଯାଏ ପର
ଛାଡି ଚାଲିଗଲେ ନିଜର ଘର
ନିଜର ଦୁନିଆ ବୁଝିଥାଏ ଯିଏ
ସିଏ କି ନିଜକୁ କରିବ ପର !

ଦି 'ଦିନ ଜୀବନ ଯାଉଅଛି ସରି
ଜୀବନ ଯମୁନା ଯାଉଛି ଶୁଖି
ସମୟ ସ୍ରୋତର ଉଜାଣି ଢେଉରେ
ଦୁଃଖୀ ଜନ କ'ଣ ହେଲେଣି ସୁଖୀ !

ଯା' ପାଇଁ ବେଦନା ଯା' ପାଇଁ ଶୋଚନା
ସିଏତ ଜୀବନ ମରଣ ପ୍ରୀତି
ଫୁଲ ଫଗୁଣର ମଣିଷ ପାଇଁ କି
ନାହିଁ କି ମନରେ ଟିକିଏ ଭୀତି !

ମଣିଷ ଖୋଜୁଛି ଜୀବନର ରାହା
କିଏ ସେ କିପରି ହେବାକୁ ସାହା
ରଥେ ବସିଛନ୍ତି ବିଶ୍ୱ ମହାରଥୀ
ପ୍ରସାରିତ କରି ତାଙ୍କର ବାହା ।

ହିସାବ ନିକାଶ ସରିବ ଯେ ଦିନ
ନେଇ ଯିବେ ପାଶେ ନାଟକ ଶେଷେ
ଘରକୁ ବାହୁଡା ହେବ ସେହିଦିନ
ରଥ ଚାଲିଯିବ ରଥୀର ଦେଶେ ।

Odia Poem: ମୋ ସିନ୍ଦୂର ବିନ୍ଦୁ

ମହାମିଳନର ଜାଗତିକ ରୂପ
ଚନ୍ଦ୍ରମା ଯେବେ ନିଏ
ପ୍ରଣୟ ପିଆସି ପ୍ରିୟତମ ସିନା
ଅପଲକେ ଚାହିଁ ରହେ ।

ଆକାଶେ ଶୋଭିତ କୋଟିଏ ନକ୍ଷତ୍ର
ଗୋଟିଏ ତା' ପ୍ରଣୟିନୀ
ଆନନ୍ଦ ଉଲ୍ଲାସେ ସମ୍ଭାଷଣ କରେ
ଅୟି ଚନ୍ଦ୍ରମା ରାଣୀ !

ଅଦୂରରେ ରହି ପ୍ରିୟତମା କହେ
ମଥାରେ ଓଢଣୀ ଟାଣି
ମୋ ସିନ୍ଦୁର ବିନ୍ଦୁ ବିଶ୍ୱାସର ଇନ୍ଦୁ
ନୁହେଁ କା'ର ସଉତୁଣୀ ।